Unknown

 

 

 

 

 

 

 

 

 

ମୋହିନୀ

ଚିନ୍ତାମଣି ମହାନ୍ତି

 

ଅମର ଅସୁରଗଣ

ସୁଧାପାଇ ଦ୍ୱନ୍ଦ୍ୱ-            କରି ପରସ୍ପରେ

ଆରମ୍ଭିଲେ ଘୋର ରଣ ।

 

ଅମରଙ୍କ ପ୍ରତି            କର୍ବୁର, କର୍ବୁର-

ଗଣଙ୍କ ପ୍ରତି ଅମର,

ଅକ୍ରୋଶ ଦେଖିଣ            ମଧ୍ୟେ ଉଭାହୋଇ

ସମ୍ବୋଧି କହିଲେ ହର-

 

‘‘ଶୁଣ ସୁରାସୁରେ            ସବୁରି ଅର୍ଜ୍ଜିତ

ସୁଧା ନିଅ ସର୍ବେ ବାଣ୍ଟି,

କେଉ ଫଳ ହେବ            ସମର-ତରଙ୍ଗେ

ବିଅର୍ଥରେ ହେଲେ ଘାଣ୍ଟି ?’’

 

ଶିବଦାତା ଶିବ            ଅଲଙ୍ଘ୍ୟ ଆଦେଶ

କରିବ କିଏ ଲଙ୍ଘନ,

ଲଙ୍ଘି ପାରନ୍ତି କି            ଶିଷ୍ୟବୃନ୍ଦ କେବେ

ଗୁରୁଙ୍କର ସୁବଚନ ?

 

ଆଶୁତୋଷ ବୋଲେ      ଆଶୁ ତୋଷ ଭଜି

ଅମର ଅସୁରଗଣେ,

ସମଭାବେ ସୁଧା            କିଏ ଦେବ ବାଣ୍ଟି

ଭାବୁଛନ୍ତି ଏକମନେ ।

 

ଏହି କାଳେ ହରି            ନାରୀବେଶ ଧରି

ପରକାଶି ମୃଦୁ ହାସ,

ମନ୍ଥର ଗତିରେ            ମିଳିଲେକ ଯାଇ

ଦେବ ଦାନବ ସକାଶ ।

 

କନକବରଣୀ            କନକିତ ଅଙ୍ଗ

ସ୍ଫୁରି କନକର ପ୍ରଭା,

କନକେ ମଣ୍ଡିତ            ହେଲା ପ୍ରାୟ ଦିଶେ

ଅମର ଅସୁର ସଭା ।

 

ଅପଘନ ଜ୍ୟୋତି            ବିକାଶେ ଉଜ୍ଜ୍ୱଳ

ହେଲା ଚତୁର୍ଦ୍ଦଶପୁର,

ପୟରଯୁଗଳେ            ବିରାଜିତ ରତ୍ନ-

ଖଚିତ ଚାରୁ ନୁପୁର ।

 

କୋକନଦ-ଜିତ            ପଦେ କରୁଅଛି

ମୃଦୁ ମନୋହର ଗତି,

ଯେ ଚରଣୁ ଜାତ            ହୋଇଥିଲେ ହର-

ମୌଳିମାଳା ଭାଗୀରଥୀ ।

 

ଅଙ୍ଗ-ସଉରଭେ            ଅନ୍ଧ ହୋଇ ଅତି

ତେଜି ପୁଷ୍ପ-ମକରନ୍ଦ,

ଗୁଞ୍ଜରି ଧାଆଁନ୍ତି            ବାଳା ପଛେ ପଛେ

ଅନୁସରି ମଧୁଗନ୍ଧ ।

 

ବିପରୀତ ରମ୍ଭା            ତୁଲ୍ୟ ଯୁଗ୍ମ ଲଭୁ

ସୁନ୍ଦର ସୂଢ଼ଳ ହାତ,

କଟୀଦେଶ ହେରି            ଇଚ୍ଛାବଶେ ଗଞ୍ଜି

ହେବ ସିନା ମୃଗନାଥ ।

 

ଘନକଘନାର            ଚମ୍ପକ ଅଙ୍ଗୁଳି

ମୁଦ୍ରିକା ଯୋଗେ ଶୋଭିତ,

ରାହୁ ଭୟେ ଶଖୀ            ଲୁଚିଛି କି ଆସି

ଏସନ ହୁଏ ପ୍ରତୀକ ?

 

କୋଟି ପୂର୍ଣ୍ଣଇନ୍ଦୁ            ବଦନ-କମଳେ

ନୋହିବେ କିଞ୍ଚିତେ ସମ,

ବିଧାତା ସୁଷ୍ଟିରେ            ସୁନ୍ଦରୀ-ସମାଜେ

ଏହି ଏକା ଅନୁପମ ।

 

ଶୋଭାଙ୍ଗୀର ଚାରୁ            ଓଷ୍ଠାଧର ତୁଲେ

ଉପମା ଭବେ ଅତୁଲ

ସୁଷମା ଲତାରେ            ଫୁଟିଅଛି କିବା

ଦିବ୍ୟ ରକ୍ତକାନ୍ତି ଫୁଲ ।

 

ଶୁକଚଞ୍ଚୁଠାରୁ            ବଳି ଶତଗୁଣେ

ନାସିକା ଦିଶେ ଶୋଭନ,

ଅଞ୍ଜନ ରଞ୍ଜିତ            ନୟନ ଯୁଗ କି

ଖେଳନ୍ତି ଯୁଗ୍ମ ଖଞ୍ଜନ ।

 

କାମ ଗୁରୁ ଚାପ            ଦର୍ପ ଦଳୁଅଛି

ଯୁଗଳ ଭୂରୁ ଭଙ୍ଗିମା,

କପୋଳ ଫଳକ            ହେଲେ ହରୁଅଛି

ମାର-ମୁକୁର-ଗରିମା ।

 

ହେମ ଲତାଙ୍କିତ            ନୀଳ ଚେଳ କରେ

ଶୋଭିତ ଅଙ୍ଗନା ଅଙ୍ଗ,

ଧିକ୍କାର ଦେଇଣ            ନୀଳଘନ ଅଙ୍କେ

ହ୍ଲାଦିନୀ ଶୋଭା-ତରଙ୍ଗ ।

 

ବେନି ଶ୍ରୁତିମୂଳେ            ହୀରକ କୁଣ୍ଡଳ

ଦୋହଲେ ଗଣ୍ଡ ସମୀପେ,

ମୁଖ ପୂର୍ଣ୍ଣେନ୍ଦୁକୁ            ସନ୍ଧ୍ୟା ରଜନୀ ବା

ବିନ୍ଦାନ୍ତି ରତନ ଦୀପେ ।

 

ଅସିତ ଉରଗ            ପ୍ରାୟ ନୀଳ କେଶ

ଅନିତମ୍ବ ଲମ୍ବମାନ,

ଗୁରୁ ଦନ୍ତପନ୍ତି            ଅର୍ଦ୍ଧ ହିଙ୍ଗୁତିଳ

ମୁକୁତା ଫଳ ସମାନ ।

 

ପ୍ରତି ଅଙ୍ଗେ ଯାର            ପୁଷ୍ପୋପମା ବାହୁ

ଭୂଷଣେ କି କାର୍ଯ୍ୟ ତାର,

ବହୁଳ ତାରକା            ଲୋଡ଼ଇ କି କେତେ

ପୌର୍ଣ୍ଣମାସୀ ସୁଧାଧାର ?

 

ପୁଷ୍ପମାଳା ସହ            ବାସାଞ୍ଚଳେ ରଙ୍ଗେ

କମ୍ପାଏ ସିନ୍ଧୁ ପବନ,

ସୁନ୍ଦରୀ ସୃଷ୍ଟିରେ            ଚକ୍ରବର୍ତ୍ତୀପଣେ

ଉଡ଼ାଏ କିବା କେତନ ?

 

ମୋହିନୀ ଏସନ            ମୋହନ ବେଶରେ

ସଭାକତି ଉପନୀତ

ଦେଖିବା ମାତ୍ରକେ            କାମନଳେ ଜଳି

ସକଳେ ହେଲେ ମୂର୍ଚ୍ଛିତ ।

 

କିଛିକ୍ଷଣ ପରେ            ଚେତନା ଲଭିଣ

ଯୋଗିବର ଶୂଳପାଣି,

ଯୁବା-ଚିତ୍ତ-କାରା            ବାଳା-ପଙ୍କଳାସ୍ୟେ

ନେତ୍ର ନିଯୋଜିଲେ ଆଣି

 

କାମ-ପାରାବାରେ            ବାମଦେବଙ୍କର

ବୁଡ଼ିଲା ଧୌର୍ଯ୍ୟ-ତରଣୀ

ଆଲିଙ୍ଗନ ଆଶେ            ବାହୁ ତୋଳି ବାଳା-

ପାଶେ ହେଲେ ସେହିକ୍ଷଣି ।

 

ଧନ୍ୟ ତୋ ମହିମା            ବିଶ୍ୱଜୟୀ କାମ

କାହାଠାରେ ତୁ ଅଜଣା ?

ଯୋଗୀ ସ୍ମରହର            ତୋ ମାୟା-ଜାଲରେ

ପଡ଼ି ହୋଇଗଲେ ବଣା !

 

କି ଅଛି ଅସାଧ୍ୟ            ତୋହର ଏ ଭବେ

ଅପାର ତୋର କ୍ଷମତା,

ଚତୁର୍ଦ୍ଦଶ ପୁର            ମଧ୍ୟରେ କେବଳ

ଟେକା ଏକା ତୋର ଛତା ।

 

କଠିନ ହୃଦୟ            ତରଳକରଣେ

ଏକା ତୁ ଭବେ ଭାଜନ,

ତରଳାଇଦିଏ            ଟାଙ୍ଗଣା ଯେସନ୍ନ

ମୁହୂର୍ତ୍ତ ମାତ୍ରେ କାଞ୍ଚନ ।

 

ହରଙ୍କୁ ସନ୍ନିଧେ            ଦେଖି ହରି କଲେ

କପଟେ ଚଞ୍ଚଳ ଗତି,

ତହୁ ଊର୍ଦ୍ଧ୍ୱଶ୍ୱାସେ            ବାଳା ପଛେ ପଛେ

ଗୋଡ଼ାଇଲେ ପଶୁପତି ।

 

ପ୍ରାଣ ଆତଙ୍କରେ            ପଳାଏ ଯେସନ

ନିଷାଦଠାରୁ କୁରଙ୍ଗୀ,

ସଳଖ, ତିର୍ଯ୍ୟକ            ବଙ୍କିମ ଗତିରେ

ଆଚରି ବିବିଧ ଭଙ୍ଗୀ ।

 

କିଛିଦୁର ଯାଇ            ପଛକୁ ଲେଉଟି

ଅନାଏଁ ଅତି ଚଞ୍ଚଳେ

ବ୍ୟାଧକୁ ସନ୍ନିଧେ            ନିରେଖି ସଭୟେ

ପୁଣି ଧାବଇ ପ୍ରବଳେ ।

 

ସେହିପରି ବାଳା            ଅସମ୍ଭାଳ ବେଶେ

ଧାଉଁଛି ହୋଇ ବ୍ୟାକୁଳ,

ଦ୍ରୁତଗତି ହେତୁ            ଖସି ପଡ଼ୁଅଛି

ଖୋଷା-ଖୋସା ଚାରୁ ଫୁଲ ।

 

କାମାର୍ତ୍ତେ ଡାକନ୍ତି            ହର ‘‘ହରିଣାକ୍ଷି !

ମୁହୁର୍ତ୍ତେକମାତ୍ର ରହ,

ଠିଆହୋଇ ଥରେ            ବୀଣାଜିଣା ସ୍ୱରେ

ସମ୍ଭାଷ କିଙ୍କର ସହ ।

 

କେଣିକି ଯାଉଛୁ            କହ ସୁଲୋଚନେ

ବାରେ ଅନୁଗ୍ରହ କରି,

ତ୍ରିଲୋକ ମଧ୍ୟରେ            ଦେଖି ନ ଥିଲି ମୁଁ

ତୋପରି ଜଣେ ସୁନ୍ଦରୀ ।

 

ଊର୍ବଶୀ, ମେନକା,            ରମ୍ଭା, ତିଳୋତ୍ତମା

ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀ,

ଶଚୀ, ଅରୁନ୍ଧତୀ,            ସୁନ୍ଦରୀ ମଉଳି-

ମୁକୁଟର ଝରା ରତି,

 

ଏମାନେ ତୋହର            କନିଷ୍ଠା ଅଙ୍ଗୁଳି

ଶୋଭାକୁ ନୋହିବେ ସମ,

କାହୁ ତୁ ଆସିଲୁ            ରମଣୀମଣିରେ

କହି ଦୂର କର ଭ୍ରମ ।’’

 

ବୋଲନ୍ତି ମୋହିନୀ,            ‘‘ଛି ଛି ରେ ସ୍ଥବିର

ନାହିଁ ତୋର ଲଜ୍ଜା ଭୟ,

କେଉଁ କାର୍ଯ୍ୟ ଆଶେ      ପଛେ ଗୋଡ଼ାଇଣ

ବୃଥା ମାଗୁ ପରିଚୟ ।

 

ତୈଳ ବିନା ଅଙ୍ଗେ            ବିଭୂତି ଭୂଷଣ

ଶିରେ ଧରୁ ଜଟାଭାର,

ତାମ୍ବୂଳବିହୀନେ            ଦନ୍ତପନ୍ତି ତୋର

ଦିଶେ ସ୍ଫଟିକ ଆକାର ।

 

ଉନ୍ମତ୍ତ ପରାଏ            ଶ୍ମଶାନେ ବିହରୁ

ଗଳେ ଧରୁ ଅସ୍ଥିମାଳ,

ବସନ ଅଭାବେ            ପରିଧେୟ ତୋର

ଜୀର୍ଣ୍ଣ ଛିନ୍ନ ବ୍ୟାଘ୍ରଛାଲ ।

 

ଦେଖ ତୁ ମୋହର            ଅଙ୍ଗ ସଉରଭେ

ପୂରିଅଛି ତିନିପୁର,

ରୂପଚ୍ଛଟା କରେ            ତାମସୀ ରଜନୀ

ଅନ୍ଧକାରେ ହେଲେ ଦୂର ।

 

ଧିକ ତୁ ନିର୍ଲ୍ଲଜ୍ଜ            କି ସାହସେ ପୁଣି

ମୋ ସଙ୍ଗେ ଲୋଡ଼ୁ ସମ୍ଭାଷ,

ବାମନ ମୂରତି            ଚନ୍ଦ୍ର ଧରଷଣେ

କରେ କି ବୃଥା ପ୍ରୟାସ ?

 

ବାନର ଭାଗ୍ୟରେ            ପ୍ରାପ୍ତ ହେବ କାହିଁ

ଅମୂଲ୍ୟ ରତନ ହାର,

ଛାର ନର ସୁଧା            ଇଚ୍ଛିଲେ ହୁଏ କି

ସଫଳ ଆଶା ତାହାର ?

 

ଏଥୁ ଅନ୍ତେ ହର            ବୋଲେ ହରିମଧ୍ୟେ

କିପାଁ ଦେଉ ମନେ ତାପ,

ମୋର ସହିତରେ            ପୂର୍ବେ ବରାନନେ

ନାହିଁ ତୋ କେବେ ଆଳାପ ।

 

ତେଣୁ ତୁହି ମୋତେ            ମଣୁଅଛୁ ପରା

ସାମାନ୍ୟ ମାନବ ପରି,

ତ୍ରିଲୋକ ମଧ୍ୟରେ            ଯେତେ ମହାପ୍ରାଣୀ

ସର୍ବେ ଆଶ୍ରିତ ମୋହରି ।

 

ଚତୁର୍ମୁଖ ବ୍ରହ୍ମା            ଚତୁର୍ମୁଖେ ମୋତେ

ଭଜୁଛନ୍ତି ନିରନ୍ତର,

ବହୁକାଳ ସେବି            ମୁରାରି ମୋ ତହୁଁ

ପାଇଲେ ଅଭୟ ବର ।

 

ଇନ୍ଦ୍ର, ଯମ ପୁଣି            କୁବେର ବରୁଣ

ଦିଗପାଳ, ହୁତାଶନ,

ଏ ଆଦି ତେତ୍ରିଶ-            କୋଟି ଦେବତାଏ

କରନ୍ତି ମୋତେ ପୂଜନ ।

 

ଜ୍ଞାନଯୋଗେ ମୁହିଁ            ମୃତ୍ୟୁ ଜିଣିବାରୁ

ମୃତ୍ୟୁଞ୍ଜୟ ମୋର ନାମ,

ମୋ ନେତ୍ର ଅନଳେ            ଭସ୍ମ ହୋଇଥିଲା

ତ୍ରିପୁରବିଜୟୀ କାମ ।

 

ମହାମାୟା ଯାକୁ            ବୋଲନ୍ତି ଜଗତେ

ମହିଷାସୁରମର୍ଦ୍ଦିନୀ,

ବିଷ୍ଣୁ ଅଂଶ ଜାତ            ଯେଉଁ ପୁଣ୍ୟତୋୟା

ଗଙ୍ଗା ତ୍ରିପଥଗାମିନୀ,

 

ଦାସୀପଣେ ସେହି            ବେନିଏ ଖଟନ୍ତି

ମୋର ଶ୍ରୀପଦ-ପଙ୍କଜେ,

ମନୋମତ ବର            ଲଭେ ଯେଉଁ ଜନ

ଏକାନ୍ତରେ ମୋତେ ଭଜେ ।

 

ମନରୁ ମାଳିନ୍ୟ            ତେଜି ମନୋରମେ

କର ମୋ ସଙ୍ଗେ ସମ୍ଭାଷ,

ମୋତେ ଭଜି ବିନା            ତତ୍ତ୍ୱଜ୍ଞାନେ ତୁହି

କର ଶିବପୁରେ ବାସ ।’’

 

ଧୂର୍ଜଟି ବଚନ            ଶୁଣି କହେ କନ୍ୟା

‘‘ଜାଣିଲି ହେ ଯୋଗିବର,

ତୁମ୍ଭଙ୍କୁହିଁ ପ୍ରାୟ            ବୋଲନ୍ତି ଜଗତେ

ଦେବଦେବ ମହେଶ୍ୱର ।

 

ବ୍ୟର୍ଥ ତୁମ୍ଭ ଜପ,            ବ୍ୟର୍ଥ ତୁମ୍ଭ ତପ,

ବ୍ୟର୍ଥ ତୁମ୍ଭ ଯୋଗଜ୍ଞାନ,

ବ୍ୟର୍ଥ ଜଟାଭାର,            ପଞ୍ଚମୁଖେ ତୁମ୍ଭ

ବ୍ୟର୍ଥ ବିଭୁ-ନାମଗାନ ।

 

ଅଙ୍ଗେ ଭସ୍ମ ବୋଳି            ଭିକ୍ଷାପାତ୍ର ହସ୍ତେ

ବୃଥା ଯାଅ ଭିକ୍ଷା ମାଗି,

ଭଣ୍ଡପଣ କରି            ଏହିପରି ତୁମ୍ଭେ

ବୋଲାଅ ଲୋକେ ବୈରାଗୀ ।

 

କାମିନୀକୁ ଦେଖି            କାମୀଙ୍କ ପରାଏ

କାମରେ ହେଲ ଅବଶ,

କେଉଁ ଲାଜେ ଭଲା            କହ ବାମଦେବ

ବାମଦେବେ କଲ ଭସ୍ମ ?’’

 

କନ୍ୟା-ବାଣୀ ଶୁଣି            ପ୍ରତିବଚନରେ

କହନ୍ତି ଦେବ ଈଶାନ,

‘‘ତୋ ଲାବଣ୍ୟ ରୁପ            ଦେଖି ଶଶିମୁଖି,

ହଜିଗଲା ମୋର ଜ୍ଞାନ ।

 

ଦହିଥିଲି ମୁହିଁ            ଏକ କାମ ସିନା

ଦୁର୍ବାର ନୟନାନଳେ,

କୋଟିଏ କାମର            ମନୋହର ଛବି

ତୋର ଚକ୍ଷୁ କୋଣେ ଜ୍ୱଳେ ।

 

ସର୍ବ ତପ, ଜପ,            ବିଭୁନାମ ଗାନ

ହୋଇଲା ଆଜି ସଫଳ,

ପୂର୍ବ ସୁକୃତରୁ            ଦେଖିଲି ମୁଁ ତୋର

ଅମଳ ମୁଖ-କମଳ ।

 

ସେ ସକଳ ଯୋଗ,            ଯାଗ, ଧର୍ମ, କର୍ମ

ସମରପି ତୋ ଚରଣେ,

ମାଗୁଅଛି ପ୍ରତି-            ଦାନେ ଆଲିଙ୍ଗନ

କେବଳ ଏଣୀନୟନେ !’’

 

ଶୁଳପାଣିଙ୍କର            ବିନୟ ବଚନେ

ହସି ହସି ହୟଗ୍ରୀବ,

ବୋଇଲେ, ‘‘ଅପ୍ରାପ୍ୟ      ଦ୍ରବ୍ୟେ କାହିଁ ପାଇଁ

ବାଞ୍ଛା କର ସଦାଶିବ ?

 

ସର୍ବ କର୍ମ ତେଜି            ଅନନ୍ୟମନରେ

ଯେ କରେ ମୋତେ ଭଜନ,

ସେ ଜନକୁ ମୁହିଁ            ମହାହର୍ଷଭରେ

ଯାଚି ଦିଏଁ ଆଲିଙ୍ଗନ ।’’

 

ବୋଇଲେ ମହେଶ-      ‘‘ନିଶ୍ଚୟ ତୋ ପଦ

ସେବିବି ଦୃଢ଼ ଭାରତୀ,

ଆଜିଠାରୁ ମୁହିଁ            ଦାରାସୂତ ଆଦି

ତ୍ୟାଗ କରି ରୁପବତି !’’

 

‘‘ଏ କି ଅସମ୍ଭବ            ହେ ଚନ୍ଦ୍ରଶେଖର

କିପାଇଁ କର ଛଳନ,

କହ କି ପ୍ରକାରେ            ବିସର୍ଜ୍ଜିତ ତୁମ୍ଭେ

ଦାରା, ସୁତ, ପରିଜନ ?

 

ଏକ ଭାର୍ଯ୍ୟ ତୁମ୍ଭେ            ଅତି ସଂଗୋପନେ

ରଖିଛ ଜଟା ଭିତର

ସ୍ତ୍ରୈଣଭାବେ ଆନ            ଭାର୍ଯ୍ୟକୁ ରଖିଛ

କରି ଅର୍ଦ୍ଧ କଳେବର ।’’

 

ଶୁଣି ଏହି ଗିର            ଭାଷିଲେ ଶଙ୍କର

କିପାଇଁ ସେ କଥା କହ,

ଶିରୀଷ କୁସୁମ-            କୋମଳା ବାଳା ତୁ

କର ମୋତେ ଅନୁଗ୍ରହ ।

 

କି ଛାର ସେ ନାରୀ            ତୋର ପରିବାରୀ

ନାମ ଧରୁ ତାହାଙ୍କରି,

ଶତ ଶତ ଦୁର୍ଗା            ଶତ ଶତ ଗଙ୍ଗା

ନୁହନ୍ତି ତୋ ପାଦେ ସରି ।

 

ଦାସୀପଣେ ତୋତେ      ଖଟିବେ ନିରତେ

ମୁଁ ହେବି ତୋହର ଦାସ,

ପ୍ରଳମ୍ବକୁନ୍ତଳା            ବାରେ କୃପାଦାନେ

ପୁରାଅ କିଙ୍କର ଆଶ

 

ନୋହିଲେ ନିଶ୍ଚୟ            ହତ୍ୟାଦୋଷ ଦେବି

ଏହିକ୍ଷଣି ତୋ ଉପରେ,

ଏତେ କହି ହୃଦ-            ଆକୁଳେ ତ୍ରିଶୁଳୀ

ତ୍ରିଶୂଳ ଧଇଲେ କରେ ।

 

ସ୍ୱପ୍ରାଣ ବିନାଶ            ସକାଶେ ଉଦ୍ୟତ

ହୁଅନ୍ତେ ପାର୍ବତୀକାନ୍ତ,

ପଛକୁ ଅନାଇ            ହସି ହସି ତହୁଁ

ବୋଲୁଛନ୍ତି ଯଦୁନାଥ-

 

‘‘ଶୁଣ ଗଙ୍ଗାଧର,            ବୁଝିଲିଣି ମୁହିଁ

ଯେପରି ତୁମ୍ଭର ଜ୍ଞାନ,

କାମ-ପାରାବାରେ            ନିମଜ୍ଜିତ ହୋଇ

ତେଜିବାକୁ ଚାହିଁ ପ୍ରାଣ ।

 

ଖେଦ ପରିହରି            ଧୈର୍ଯ୍ୟ ଆଶ୍ରାକରି

ମାନସ କର ସୁସ୍ଥିର,

ଦେବି ଆଲିଙ୍ଗନ            ଧ୍ରୁବ ଏହି ଗିର

ନ ତେଜ ତୁମ୍ଭେ ଶରୀର ।

 

ନ ଜାଣିଅଛ କି            ତାହା ବିଶ୍ୱନାଥ

ଯେପରି ମୋର ହୃଦୟ,

ଭକ୍ତର ଅଧୀନ            ମୁହିଁ ଭକ୍ତଜନେ

ଯାଚି ଦିଅଇଁ ଅଭୟ ।

 

ପ୍ରାଣପ୍ରିୟ ଭକ୍ତ            ଭକ୍ତିରେ ଯେ ବର

ପ୍ରାର୍ଥନା କରେ ମୋ ସ୍ଥାନ

ତାର ମନସ୍କାମ            ନିଶ୍ଚେ ପୂର୍ଣ୍ଣ ହୁଏ

କେଭେଁ ତା ନୁହଇ ଆନ ।

 

ବିଶେଷରେ ପୂର୍ବେ            ମାଗିଥିଲ ତୁମ୍ଭେ

ସଭକ୍ତିରେ ଉମାପତି,

ଅର୍ଦ୍ଧାଙ୍ଗ ଦେବାକୁ            ପ୍ରତିଶ୍ରୁତ ମୁହିଁ

ହୋଇଥିଲି ତୁମ୍ଭ କତି ।’’

 

ଏହା ଭାଷି କୋଳ            ଦେବା ପାଇଁ ଛଦ୍ମ-

ନାରୀରୁପୀ ଜଗନ୍ନାଥ,

ଆସ ଆସ ବୋଲି            ହରିଙ୍କୁ ସମ୍ବୋଧି

ବିସ୍ତାରିଲେ ବେନି ହାତ ।

 

ହରିହରଙ୍କର            ଯୁଗଳ ଶରୀର

ଆଲିଙ୍ଗନେ ହେଲା ଏକ,

ଅର୍ଦ୍ଧଭସ୍ମଭୁଷା            ଚନ୍ଦନ ଚର୍ଚ୍ଚିତ-

କସ୍ତୁରୀଭୁଷା ଅର୍ଦ୍ଧେକ ।

 

ଅର୍ଦ୍ଧଶିରେ ଜଟା            ଅପର ଅର୍ଦ୍ଧେକ

କୁଞ୍ଚିତ କେଶ ମଣ୍ଡିତ,

ଅର୍ଦ୍ଧଫଣି-ଫଣା,            ଅନ୍ୟ ଅର୍ଦ୍ଧ ହେଲା

ରତ୍ନ-କିରୀଟେ ଶୋଭିତ ।

 

କସ୍ତୁରୀ, ତିଳକ,            ଶଶାଙ୍କ କଳାରେ

ଶୋହେ ଅର୍ଦ୍ଧ ଅର୍ଦ୍ଧ ଭାଲ,

ଅର୍ଦ୍ଧ ଗଳେ ଚାରୁ-            ବନପୁଷ୍ପ-ମାଳା,

ଅର୍ଦ୍ଧ ଗଳେ ହାଡ଼ମାଳ ।

 

କୁଣ୍ଡଳି-କୁଣ୍ଡଳ            ମକର-କୁଣ୍ଡଳ

ବେନି କର୍ଣ୍ଣେ ସୁମଞ୍ଜୁଳ,

ବ୍ୟାଘ୍ରଛାଲେ ଅର୍ଦ୍ଧ-            କଟୀ ସୁଶୋଭିତ

ଅର୍ଦ୍ଧେକ ପୀତ ଦୁକୂଳ ।

 

ଏକ ପଦେ ଫଣୀ,            ଆନ ଏକ ପାଦେ

ରତ୍ନଖଚିତ ନୁପୁର,

ଏକ କରେ ଶଙ୍ଖ            ଚକ୍ର, ଆର କରେ

ଶୋଭେ ତ୍ରିଶୁଳ ଡମ୍ବୁର ।

 

ଦୁଇ ପାର୍ଶ୍ୱେ ଛନ୍ତି            ଲୋକମାତା ଲକ୍ଷ୍ମୀ

ହିମାଦ୍ରିକା ହୈମବତୀ,

ଏକ ଦିଗେ ବୃଦ୍ଧ-            ବୃଷ ଆନ ଦିଗେ

ଉଭା ଖଗକୁଳ-ପତି ।

 

କିଛିକ୍ଷଣ ପରେ            ମହେଶ ଶରୀରୁ

ଅନ୍ତର ହୋଇଣ ହରି,

ଅନ୍ତର୍ଦ୍ଧାନ ହେଲେ            ମାୟା-ବିଶାରଦ

ଇନ୍ଦ୍ରଜାଲିକାର ପରି ।

 

ହର ହୃଦୟକୁ            ଆବୋରିଲା ଆସି

ସାତ୍ତ୍ୱକ ଭାବ କରାଳ,

ପ୍ରାବୃଟେ ଯେସନ            ଆକାଶମଣ୍ଡଳ

ଆବରେ ଜଳଦମାଳ ।

 

ସ୍ୱପ୍ନ ପ୍ରାୟେ ମଣି            ପୂର୍ବ ଘଟନାକୁ

ଭାବୁଛନ୍ତି ପଞ୍ଚାନନ,

ଏସନ ସମୟେ            ଚତୁର୍ଭୁଜରୁପେ

ବିଜେ ତହିଁ ଜନାର୍ଦ୍ଦନ ।

 

ନ ଜାଣିଲା ପରି            ପରିହାସ ଛଳେ

ଶିବଙ୍କୁ କହିଲେ ଡାକି,

ଏଡ଼େ ଆତୁରରେ            ଏଠାରେ କିପାଇଁ

ଉଭା ହୋଇଛ ପିନାକୀ ?’’

 

ଏ ବଚନ ଶୁଣି            ଲଜ୍ଜାବଶେ ହର

ତଳକୁ ପୋତିଲେ ମଥା,

ଜାଣିଲେ ଏସବୁ            ଚକ୍ରି-ଚକ୍ର ଛଡ଼ା

ନୁହେଁ କିଛି ଆନ କଥା ।

 

ପ୍ରଭାହୀନ ହେଲା            ଶଶିଜିତ ମୁଖ

ପର୍ଯ୍ୟୁଷିତ ଫୁଲ ପରି,

କିଛି ନ କହିଣ            କ୍ଷଣକାଳ ତହିଁ

ରହିଲେ ମୌନ ଆଚରି ।

 

ସମୟ ବୁଝିଣ            ପ୍ରତିଫଳ ଦେବେ

ହରିଙ୍କୁ, ମନାସି ମନେ,

ତ୍ୱରିତ ଗମନେ            ବାହୁଡ଼ିଲେ ହର

କୈଳାସ ଗିରି-ସଦନେ ।

 

ଏଣେ ସୁରାସୁରେ            ବହୁକ୍ଷଣ ପରେ

ସର୍ବେ ହୋଇ ସଚେତନ,

ମୋହିନୀ କନ୍ୟାକୁ            ନ ଦେଖି ସମୀପେ

ହୋଇଲେ ଚିନ୍ତିତ ମନ ।

 

ସ୍ତୋକମାତ୍ର ପୂର୍ବେ            ଥିଲା ଯେ ହୃଦୟ

ଆଶାର ନନ୍ଦନ ବନ,

କ୍ଷଣେ ତା ଶ୍ମଶାନେ            ପରିଣତ କଲା

ନଇରାଶ୍ୟ ପ୍ରଭଞ୍ଜନ

 

ତା ଦେଖି ମୋହିନୀ            ଭାଷିଲେ ଭାରତୀ

ବୀଣାଜିଣା ସୁବଚନେ-

‘‘ଶୁଣ ଶୁଣ ମୋର            ଆତ୍ମପରିଚୟ

ସର୍ବେ ଅବହିତ ମନେ ।

 

ଅଗ୍ରେ ବିରାଜିତ            ଏହି କ୍ଷୀର ସିନ୍ଧୁ-

ମଧ୍ୟେ ମୋହର ବସତି,

ମୋହିନୀ ମୋ ନାମ,      ତ୍ରିଜଗତେ ମୋତେ

କରନ୍ତି ସର୍ବେ ଭକତି ।

 

ତୀରେ ଆସିଲି ମୁଁ            ରହି ନ ପାରିଣ

ଅନୁକ୍ଷଣ କଳରବେ,

କି ହେତୁ କଳହ            କରୁଅଛ ତୁମ୍ଭେ

ଏକତ୍ର ହୋଇ ସରବେ ?’’

 

କନ୍ୟା ମୁଖୁଁ ଶୁଣି            ଏସନ ବଚନ

ଅମର ଅସୂରଗଣ,

କହିଲେ, ଲାଗିଛି            ସୁରାସୁର ମଧ୍ୟେ

ସୁଧା ପାଇଁ ଘୋର ଋଣ

 

ସଦୟ ହୋଇଣ            ଆସିଅଛ ଯେଣୁ

ଏ ଅତି ଶୁଭ ଲକ୍ଷଣ,

ମଧ୍ୟସ୍ଥପଣରେ            ସୁଧା ବାଣ୍ଟି ତୁମ୍ଭେ

କର ଦ୍ୱନ୍ଦ୍ୱ ନିବାରଣ ।

 

ଏକବାକ୍ୟେ ସର୍ବେ            କହୁଅଛୁଁ ଦେବୀ,

କେବେ ନ ଭାଙ୍ଗିବୁ ତାହା,

ବିଳମ୍ବ ନ କରି            ଶୀଘ୍ର କର ଏବେ

ତୁମ୍ଭ ମନୋରଥ ଯାହା ।’’

 

ବୋଇଲେ ମୋହିନୀ      ନାହିଁ ନାହିଁ ମୋର

ମଧ୍ୟସ୍ଥରେ କାର୍ଯ୍ୟ ନାହିଁ,

ଜାଣୁ ଜାଣୁ କାଳ-            ଭୃଜଙ୍ଗ ବଦନେ

ହାତ ଦେବି କାହିଁ ପାଇଁ ?

 

ମୋର ବିତରଣ-            ବିଧି ମନୋମତ

ନୋହିକ ଯେବେ କାହାରି,

କି କରିବି ତେବେ            ସର୍ବେ କ୍ରୋଧ କଲେ

ଏକାକୀ ଅବଳା ନାରୀ ।

 

ଶୁଣି ଏ ଭାରତୀ            ଡାକି କନ୍ୟା ପ୍ରତି

ଉତ୍ତରିଲେ ଦେବାସୁରେ,

ସତ୍ୟ ସତ୍ୟ ତବ            ଆଜ୍ଞା ନ ଲଙ୍ଘିବୁ

ତ୍ରିବାର ସତ୍ୟ ଛାମୁରେ ।

 

ଏହା ବୋଲି ଦୁଇ            ପଙ୍‌କ୍ତିରେ ବସିଲେ

ଦେବାସୁରେ ଦୁଇ ପାଖେ,

ମଧ୍ୟେ ଉଭା ହୋଇ            ବୋଲଇ ମୋହିନୀ

ସୁଧାପାତ୍ର ଘେନି କାଖେ ।

 

ଦେବଗଣଙ୍କର            ଶ୍ରେଷ୍ଠ ଭାଗ ତାଙ୍କୁ

ପ୍ରଥମେ ଦେବା ବିହିତ,

ଶୁଣି ଦୈତ୍ୟଗଣେ            ସମ୍ମତି ବିହିଲେ

ବିମୁଖ ନୋହି କିଞ୍ଚିତ ।

 

ତହୁଁ ଲକ୍ଷ୍ମୀପତି            କୁବେର ବରୁଣ

ଇନ୍ଦ୍ର ଯମ ହୁତାଶନ,

ଏ ଆଜି ତେତ୍ରିଶ            କୋଟି ଅମରଙ୍କୁ

ଅମୃତ କରି ବଣ୍ଟନ,

 

ସର୍ବଶେଷେ ଯାହା            ଅବଶେଷ ଥିଲା

ଆପେ କଲେ ତାହା ପାନ,

ଦେଖି ଦୈତ୍ୟଗଣେ      କୋପାନଳେ ଜଳି

ହେଲେ ଅତି କମ୍ପମାନ ।

 

ମାର ମାର ଶବ୍ଦେ            ଚୌଦୁଗୁଁ ଧାଇଁଲେ

କରି ମହାଘୋର ରୋଳ,

ପ୍ରଳୟ କାଳରେ            ସଘନେ ନିନାଦେ

ଯେସନେ ସିନ୍ଧୁ କଲ୍ଲୋଳ ।

 

ବୃଷ୍ଟିଧାର ପ୍ରାୟ            ନାନା ଖର ଶାଣ

ଅସ୍ତ୍ର କରନ୍ତି ବର୍ଷଣ,

କ୍ରମେ ବେଳୁଁ ବେଳ            ବଢ଼ିଲା ଏରୂପେ

ଦେବାସୁରଙ୍କର ରଣ ।

 

ସୁଧାପାନେ ଦେବେ            ବିଶେଷ ବଳିଷ୍ଠ

ମନ୍ଥନେ ଦୁର୍ବଳ ରକ୍ଷ,

ତେଣୁ ଦୈତ୍ୟଗଣ            ଋଣେ ଭଙ୍ଗ ଦେଲେ

ବଳେ ନୋହି ସମକକ୍ଷ ।

 

ସମ୍ମୁଖ ସଂଗ୍ରାମେ            ଭଙ୍ଗ ଦେଇ ଶତ୍ରୁ

ପଳାଇଗଲେ ସଗଣେ,

ତହୁଁ ଦେବତାଏ            ମହାହୁଷ୍ଟ ମନେ

ବାହୁଡ଼ିଲେ ନିକେତନେ ।

 

ଧନ୍ୟ ଧନ୍ୟ ପ୍ରଭୁ            ନୀଳାଦ୍ରିବିହାରୀ

ଜଗତ-ଜନ-ଜନକ;

ଭକ୍ତ ରକ୍ଷା କରି            ଭକତବତ୍ସଳ

ନାମକୁ କଲ ସାର୍ଥକ ।

 

ମହତ ଲୋକର            ଅଟେ ସିନା ରୀତି

ଆଶ୍ରିତ ପ୍ରତିପାଳନ;

ସମୀରଣ ବିନା            ଆନ କେ କରିବ

ଜୀବଗଣେ ସଚେତନ ?

 

ଯେ ପ୍ରାଣୀ ତୁମ୍ଭର            ପାଦପଦ୍ମାଶ୍ରିତ

କାହିଁ ତାର ଦୁଃଖ ଭୟ ?

ନୃସିଂହବତାରେ            ପ୍ରହ୍ଲାଦ ଜୀବନୁ

ନ ମିଳେ କି ପରିଚୟ ?

 

କ୍ରୂର କୁରୁପତି            କୁଟରୁ ପାଣ୍ଡବେ

ରକ୍ଷା କରିଅଛ ପୁଣି,

କୁମ୍ଭୀର ମୁଖରୁ-            ମାତଙ୍ଗ, ଶବର-

ସଜ୍ଜିତାନଳୁ ମୃଗୁଣୀ ।

 

ସତ୍ତ୍ୱ, ରଜ, ତମ            ତ୍ରିଗୁଣେ କରୁଛ

ସୃଷ୍ଟି, ପାଳନ, ସଂହାର,

ଅପାର ସଂସାର            ସାଗରକୁ ଏକା

ତୁମ୍ଭ ନାମ କର୍ଣ୍ଣଧାର ।

 

ତୁମ୍ଭର ଅପାର            ମହିମା ବର୍ଣ୍ଣିବ

କାହାର ଅଛି ଶକତି ?

ଶତମୁଖ ହେଲେ            ଯେ ମହିମା ବର୍ଣ୍ଣି

ନ ପାରିବେ ସରସ୍ୱତୀ ।

 

-------ସମାପ୍ତ -----